5. ଜ୍ଞାନ, କର୍ମ ଏବଂ ଭକ୍ତି ଯୋଗ


 

          ଗୀତା ଭିନ୍ନ ଭିନ୍ନ ଲୋକଙ୍କୁ ତାଙ୍କ ଦୃଷ୍ଟିକୋଣ ଆଧାରରେ ଭିନ୍ନ ଭିନ୍ନ ଦେଖାଯାଏ । ଗୀତାରେ ତିନୋଟି ଭିନ୍ନ ମାର୍ଗର ଉଲ୍ଲେଖ ଅଛି - କର୍ମଯୋଗ, ସାଂଖ୍ୟଯୋଗ ଏବଂ ଭକ୍ତିଯୋଗ । କର୍ମଯୋଗ ମନକେନ୍ଦ୍ରିତ ବ୍ୟକ୍ତିଙ୍କ ପାଇଁ ଆଦର୍ଶ ଅଟେ । ସାଂଖ୍ୟଯୋଗ ବୁଦ୍ଧି ଆଭିମୁଖ୍ୟ ବ୍ୟକ୍ତିଙ୍କ ପାଇଁ ଏବଂ ଭକ୍ତିଯୋଗ ହୃଦୟ ଆଭିମୁଖ୍ୟ ବ୍ୟକ୍ତିଙ୍କ ପାଇଁ ।

          ଆଜିର ଦୁନିଆରେ ଅଧିକାଂଶ ଲୋକ ମନକେନ୍ଦ୍ରିତ ବର୍ଗରେ ଆସନ୍ତି । ଏହା ଏହି ବିଶ୍ୱାସ ଉପରେ ଆଧାରିତ ଯେ ଆମେ ଶିକୁଳିରେ ବାନ୍ଧି ହୋଇଛୁ ଆଉ ନିଜକୁ ମୁକ୍ତ କରିବା ପାଇଁ ସେହି ସିକୁଳିକୁ ଭାଙ୍ଗିବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ ଅଛି । ସେଥିପାଇଁ ଏହା କର୍ମ କେନ୍ଦ୍ରିତ । ତାଙ୍କ ସହିତ କୌଣସି ବାର୍ତ୍ତାଳାପ ସାଧାରଣତଃ ‘ମୁଁ ବର୍ତ୍ତମାନ କ’ଣ କରିବି’ ସହିତ ସମାପ୍ତ ହୁଏ । ଏହି ମାର୍ଗ ଆମକୁ ନିଷ୍କାମ କର୍ମ ଯଥା ପ୍ରେରଣା ବିନା କାର୍ଯ୍ୟ କରିବା ଦିଗରେ ନେଇଯାଏ ।

          ସାଂଖ୍ୟଯୋଗ, ଜ୍ଞାନଯୋଗ ଭାବରେ ମଧ୍ୟ ଜଣାଶୁଣା ଏବଂ ଏହା ସଚେତନତା ବା ଜାଣିବା ବିଷୟରେ ଅଟେ । ଏହାର ପ୍ରାରମ୍ଭବିନ୍ଦୁ ହେଉଛି ଏହି ବିଶ୍ୱାସରୁ ଯେ ଆମେ ଏକ ଅନ୍ଧାର କୋଠରୀରେ ଅଛୁ ଏବଂ ଅନ୍ଧକାରକୁ ଦୂର କରିବା ପାଇଁ ଏକ ଦୀପ ଜାଳୁ କାରଣ କୌଣସି ପ୍ରୟାସ କିମ୍ବା ନିଷ୍କ୍ରିୟତା ସେହି ଅନ୍ଧକାରକୁ ଦୂର କରିପାରିବ ନାହିଁ । ଏହି ମାର୍ଗ ଆମକୁ ପସନ୍ଦହୀନ ସଚେତନତାର ଭାବନା ଦେଇଥାଏ ।

          ଭକ୍ତିଯୋଗ ସମର୍ପଣ ବିଷୟରେ । ଭକ୍ତିଯୋଗର ଅନୁଗାମୀମାନେ ନିଜକୁ ଏକ ତରଙ୍ଗ ଭାବରେ ଦେଖନ୍ତି, ଯାହାର ଅସ୍ତିତ୍ୱ ହେଉଛି ସମୁଦ୍ର ଯାହା ପରମାତ୍ମା ଅର୍ଥାତ୍‌ ସର୍ବୋଚ୍ଚ ଅଟେ।

          ଆରମ୍ଭରେ ଏହି ତିନୋଟି ମାର୍ଗର ଭାଷା ଏବଂ ବୁଝାମଣା ସମ୍ପୂର୍ଣ୍ଣ ଭିନ୍ନ । ଯଦି ଜଣେ ମନକେନ୍ଦ୍ରିତ ବ୍ୟକ୍ତିଙ୍କୁ ସଚେତନତାର ମାର୍ଗ ଶିକ୍ଷା ଦିଆଯାଏ, ତେବେ ସେ ସଚେତନତା ପାଇଁ କିଛି ନା କିଛି କାର୍ଯ୍ୟ ଖୋଜିବାକୁ ଚେଷ୍ଟା କରେ ।

          ନିଶ୍ଚିତ ଭାବରେ, ଏହି ତିନୋଟି ପରସ୍ପରଠାରୁ ଭିନ୍ନ ରାସ୍ତା ନୁହଁନ୍ତି ବରଂ ଜଣେ ସେଗୁଡ଼ିକର ମିଶ୍ରଣକୁ ଅନୁଭବ କରି ଚାଲିଥାଏ । ଉଦାହରଣ ସ୍ୱରୂପ, ଯେତେବେଳେ କର୍ମ ଏବଂ ସାଂଖ୍ୟ ମାର୍ଗ ମିଳିତ ହୁଏ ଆମେ ଜାଣିପାରୁ ଯେ ସମସ୍ତ କର୍ମର ଅନ୍ତିମ ନିୟତି ମୃଗତୃଷ୍ଣା ଅଟେ ଏବଂ ଏହି କ୍ରିୟାକୁ କରିବା ସମୟରେ ଏକ ନାଟକରେ ଅଭିନୟ ପରି କର୍ମରୁ ବିଚ୍ଛିନ୍ନ ହୋଇଯାଉ ।

          ସମଗ୍ର ବ୍ରହ୍ମାଣ୍ଡ ତିନୋଟି କଣିକା “ଇଲେକ୍ଟ୍ରନ୍‌’, “ପ୍ରୋଟନ୍‌’ ଏବଂ “ନିଉଟ୍ରନ୍‌’ର ମିଶ୍ରଣ ଅଟେ ସେହିଭଳି ଆଧ୍ୟାତ୍ମିକ ଜଗତ ହେଉଛି ଏହି ତିନୋଟି ମାର୍ଗର ମିଶ୍ରଣ ।

          ଶ୍ରୀକୃଷ୍ଣ କହୁଛନ୍ତି ଯେ, ଏହି ସମସ୍ତ ମାର୍ଗରେ ଅହଂକାରମୁକ୍ତ ଆତ୍ମ-ହୃଦୟଙ୍ଗମ କରିବାର ସାମର୍ଥ୍ୟ ରହିଛି ।

Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌