101. ପଦ୍ମ ପତ୍ରର ଅନୁକରଣ

 

ପ୍ରତ୍ୟେକ ଭୌତିକ ପ୍ରଣାଳୀ ବିଭିନ୍ନ ଉପାଦାନ ନେଇଥାଏ ଏବଂ କିଛି ନିର୍ଦ୍ଧିଷ୍ଟ ଫଳାଫଳ ଉତ୍ପନ୍ନ କରେ । ଆମେ ନିରନ୍ତର ଆମର ଫଳାଫଳକୁ ମାପୁ କିମ୍ବା ବିଚାର କରୁ ଯେପରିକି ଶବ୍ଦ ଏବଂ କାର୍ଯ୍ୟ । ଆମେ ଅନ୍ୟମାନଙ୍କ କାର୍ଯ୍ୟକଳାପ ସଙ୍ଗେ ସଙ୍ଗେ ଆମ ଚାରିପାଖରେ ଥିବା ବିଭିନ୍ନ ପରିସ୍ଥିତିକୁ ମଧ୍ୟ ମୂଲ୍ୟାଙ୍କନ କରୁ । ବାସ୍ତବରେ, ବିବର୍ତ୍ତନ ପ୍ରକ୍ରିୟାରେ, ବିପଦକୁ ଚିହ୍ନିବା ଆମ ପାଇଁ ଆବଶ୍ୟକ ଥିଲା । ତଥାପି, କାର୍ଯ୍ୟ ଠିକ୍‌ କି ଭୁଲ୍‌ ତାହା ନିର୍ଣ୍ଣୟ କରିବା ପାଇଁ ମାନକର ଅଭାବରେ ସମସ୍ୟା ରହିଥାଏ, ଯେଉଁ କାରଣରୁ ଆମେ ସର୍ବଦା ଅଜ୍ଞତା ଉପରେ ଆଧାରିତ ଧାରଣା ଏବଂ ବିଶ୍ୱାସ ପ୍ରଣାଳୀ ଉପରେ ନିର୍ଭର କରୁ । ଯେତେବେଳେ ବି ଆମେ ଏପରି ସ୍ଥିତିର ସମ୍ମୁଖୀନ ହୋଇଥାଉ ଯାହା ଆମର ବିଶ୍ୱାସ ପ୍ରଣାଳୀ ଅନୁଯାୟୀ ହୁଏ, ଆମେ ଖୁସି ଏବଂ ସନ୍ତୁଷ୍ଟ ଅନୁଭବ କରୁ ।

          ଏହି ସମ୍ବନ୍ଧରେ ଶ୍ରୀକୃଷ୍ଣ କୁହନ୍ତି, “ଯାହାଙ୍କ ମନ ନିଜ ବଶରେ ଥାଏ, ଯେ ଜିତେନ୍ଦ୍ରିୟ ଓ ଯାହାଙ୍କ ଅନ୍ତଃକରଣ ବିଶୁଦ୍ଧ ଏବଂ ସକଳ ପ୍ରାଣୀଙ୍କର ଆତ୍ମରୂପ ପରମାତ୍ମା ହିଁ ଯାହାଙ୍କର ଆତ୍ମା, ସେହି କର୍ମଯୋଗୀ କର୍ମ କରୁଥିଲେ ମଧ୍ୟ କର୍ମରେ ଲିପ୍ତ ହୁଅନ୍ତି ନାହିଁ” (5.7) ଏହା ପ୍ରଭୁଙ୍କଠାରୁ ଏକ ନିଶ୍ଚିତତା ଯେ, କେଉଁ ପରିସ୍ଥିତିରେ ଆମର କର୍ମ କଳଙ୍କିତ ହେବ ନାହିଁ ।

          ଶ୍ରୀକୃଷ୍ଣ କହିଛନ୍ତି ଯେ ଶୁଦ୍ଧ ଅର୍ଥାତ୍‌ ଦ୍ୱେଷ ଏବଂ ଆକାଂକ୍ଷାରୁ ମୁକ୍ତ ସେହି ପୁରୁଷ ଦ୍ୱାରା କରାଯାଇଥିବା କର୍ମ କଳଙ୍କିତ ହୁଏ ନାହିଁ ଯିଏ ନିଜ ଆତ୍ମକୁ ସମସ୍ତ ପ୍ରାଣୀମାନଙ୍କ ଆତ୍ମ ରୂପରେ ଅନୁଭବ କରେ । ଉଲ୍ଲେଖନୀୟ ବିଷୟ ହେଉଛି ଯେ ଯେତେବେଳେ ଜଣେ ନିଜକୁ ସମସ୍ତ ପ୍ରାଣୀରେ ଦେଖେ, ସେତେବେଳେ କୌଣସି କାରଣ ନଥାଏ ସେ କଳଙ୍କିତ କାର୍ଯ୍ୟ କିମ୍ବା ଅପରାଧ କରିବ । ଅପରପକ୍ଷେ, ‘ଆମର ଏବଂ ଅନ୍ୟମାନଙ୍କର’ ଏପରି ବିଭାଜନର ଦୃଷ୍ଟିରୁ କରାଯାଇଥିବା ଆମର ସମସ୍ତ କାର୍ଯ୍ୟ କଳଙ୍କିତ ହୁଏ ।

          ଯେତେବେଳେ ଆମ ଚାରିପାଖରେ ଥିବା ପରିସ୍ଥତିକୁ ବିଚାର କରିବା କଥା ଆସେ, ଶ୍ରୀକୃଷ୍ଣ କୁହନ୍ତି, “ଯେଉଁ ପୁରୁଷ ସକଳ କର୍ମ ପରମାତ୍ମାଙ୍କଠାରେ ଅର୍ପଣ କରିଦେଇ ଓ ଆସକ୍ତି ତ୍ୟାଗପୂର୍ବକ କର୍ମ କରନ୍ତି, ପଦ୍ମପତ୍ର ଯେପରି ଜଳ ଦ୍ୱାରା ଲିପ୍ତ ହୁଏ ନାହିଁ, ସେହି ପୁରୁଷ ସେପରି ପାପରେ ଲିପ୍ତ ହୁଅନ୍ତି ନାହିଁ” (5.10)

          ଯେତେବେଳେ ଆମର କର୍ମ ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର କର୍ମ ମଧ୍ୟ ପ୍ରଭୁଙ୍କୁ ସମର୍ପିତ ହୁଏ, ସେତେବେଳେ ବିଭାଜନର କୌଣସି ସମ୍ଭାବନା ନଥାଏ । ସେତେବେଳେ ଆମେ ସମ୍ମୁଖୀନ ହେଉଥିବା ପରିସ୍ଥିତି ନାଟକ ଏବଂ ଅଭିନୟ ପରି ଦେଖାଯାଏ, ଯେଉଁଠାରେ ଆମେ ଆମର ଭୂମିକା ନିର୍ବାହ କରୁଥାଉ ଏବଂ ଶ୍ରୀକୃଷ୍ଣ ଏହାକୁ ପଦ୍ମ ପତ୍ର ସହିତ ତୁଳନା କରନ୍ତି ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌