107. ଆନନ୍ଦ ପାଇଁ ଧ୍ୟାନ
ପୀନିଆଲ୍ ଗ୍ରନ୍ଥି ହେଉଛି ଏକ ମଟର ମଞ୍ଜି ଆକାରର,
ପାଇନ୍ କୋଣ ପରି ଅଙ୍ଗ, ଯାହା ମସ୍ତିଷ୍କର ମଧ୍ୟଭାଗରେ, ସିଧାସଳଖ ଭ୍ରୂ ଦ୍ୱୟ ମଧ୍ୟରେ
ଅବସ୍ଥିତ । ଶାରୀରିକ ସ୍ତରରେ ଏହା ନ୍ୟୁରୋଟ୍ରାନ୍ସମିଟର ମେଲାଟୋନିନ୍ ଏବଂ ସେରୋଟୋନିନ୍
ଉତ୍ପାଦନ କରେ ଯାହା ଯଥାକ୍ରମେ ଶୋଇବା ଏବଂ ମନୋବଳ ପାଇଁ ଦାୟୀ । ଏହା ତୃତୀୟ ଆଖି ଭାବରେ ମଧ୍ୟ
ଜଣାଶୁଣା କାରଣ ଏଥିରେ ସାଧାରଣ ଆଖି ପରି ଫୋଟୋ ରିସେପ୍ଟର ଥାଏ।
ସମସ୍ତ ସଂସ୍କୃତି ଏହାକୁ ବିଭିନ୍ନ
ଭାବରେ ବର୍ଣ୍ଣନା କରିଛନ୍ତି; ଆତ୍ମାର ଆସନ ପରି; ଆଧ୍ୟାତ୍ମିକ ଜ୍ଞାନ ପାଇଁ ଦାୟୀ; ଏକ ଷଷ୍ଠ ଇନ୍ଦ୍ରିୟ ଯାହା
ପାଞ୍ଚ ଇନ୍ଦ୍ରିୟ ବାହାରେ ଦେଖିପାରେ; ଆଧ୍ୟାତ୍ମିକ ଜାଗରଣର ପ୍ରତୀକ; ଭୌତିକ ଏବଂ ଆଧ୍ୟାତ୍ମିକ ଜଗତ ମଧ୍ୟରେ ସମ୍ପର୍କ । ଭାରତୀୟ ପ୍ରସଙ୍ଗରେ, ଭ୍ରୁ ମଧ୍ୟରେ ଥିବା ସ୍ଥାନକୁ ଆଜ୍ଞା ଚକ୍ର (ଅଜନା ଚକ୍ର) କୁହାଯାଏ ଯାହା ପୀନିଆଲ୍ ଗ୍ରନ୍ଥିକୁ ପ୍ରତିନିଧିତ୍ୱ କରେ ।
ଏହି ପୃଷ୍ଠଭୂମି ଆମକୁ ଇନ୍ଦ୍ରିୟ
ଏବଂ ମନକୁ ନିୟନ୍ତ୍ରଣ କରିବାର ଶ୍ରୀକୃଷ୍ଣଙ୍କ ପଦ୍ଧତିକୁ ବୁଝିବାରେ ସାହାଯ୍ୟ କରିବ, ଯେତେବେଳେ ସେ କୁହନ୍ତି, “ବାହ୍ୟ ବିଷୟଭୋଗ
ଚିନ୍ତନ ନକରି,
ସେ ସବୁ ବାହାରେ ହିଁ ତ୍ୟାଗ କରିଦେଇ ଏବଂ ନେତ୍ରର ଦୃଷ୍ଟି ଭ୍ରୂ
ଦ୍ୱୟର ମଧ୍ୟବର୍ତ୍ତୀ ସ୍ଥାନରେ ନିବଦ୍ଧ କରି, ନାସିକାଦ୍ୱୟର ଅଭ୍ୟନ୍ତରରେ ବିଚରଣ କରୁଥିବା ପ୍ରାଣ ଓ ଅପାନ ବାୟୁକୁ ସମଗତି କରାଇ, ଯେଉଁ ମୋକ୍ଷପରାୟଣ ମୁନି ମନ ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ସଂଯତ କରିଥାନ୍ତି, ଇଚ୍ଛା,
ଭୟ ଓ କ୍ରୋଧରୁ ରହିତ ହୋଇଥିବା ସେହି ମୁନି ସର୍ବଦା ମୁକ୍ତ ହିଁ
ଅଟନ୍ତି” (5.27-28) । ଏହା ପ୍ରଭୁଙ୍କ ଦ୍ୱାରା
ଅର୍ଜୁନଙ୍କୁ ତାଙ୍କ ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି ନିୟନ୍ତ୍ରଣ
କରିବାରେ ସାହାଯ୍ୟ କରିବା ପାଇଁ ଦେଇଥିବା ଏକ ପଦ୍ଧତି ବା କୌଶଳ ।
ଭଗବାନ ଶିବଙ୍କ ଦ୍ୱାରା ‘ବିଜ୍ଞାନ୍ ଭୈରବ ତନ୍ତ୍ର’ରେ ଏହିପରି 112ଟି ପଦ୍ଧତି ଅଛି ଏବଂ
ଏହିପରି ଗୋଟିଏ କୌଶଳ ଭ୍ରୁ ଦ୍ୱୟ ମଧ୍ୟରେ ଏକ ବିନ୍ଦୁ ଉପରେ ଚିନ୍ତା ଶୂନ୍ୟ ଧ୍ୟାନ କରିବାକୁ କୁହନ୍ତି । ତେବେ ଦିବ୍ୟ ଶକ୍ତି ଉନ୍ମୋଚଡ଼ ହୋଇ ବାହାରେ ଏବଂ ମୁଣ୍ଡର ମୁକୁଟ ପର୍ଯ୍ୟନ୍ତ ଉଠିଥାଏ ଏବଂ ତତ୍କ୍ଷଣାତ୍
ବ୍ୟକ୍ତିଙ୍କୁ ପୂର୍ଣ୍ଣ ରୂପରେ ନିଜର ପରମାନନ୍ଦରେ ଭରିଦିଏ ।
ଆହତ ସ୍ଥାନଗୁଡିକ ପ୍ରତି ଆମର
ଦୃଷ୍ଟି ଆକର୍ଷଣ କରିବା ପାଇଁ ଯନ୍ତ୍ରଣା ଏକ ସ୍ୱୟଂଚାଳିତ ଉପକରଣ ଏବଂ ଏହା ଆମକୁ ବଞ୍ଚିବାରେ
ସାହାଯ୍ୟ କରେ । ସେହିଭଳି, ପାଇନାଲ୍ ଗ୍ରନ୍ଥିକୁ
ସକ୍ରିୟ କରିବା ହେଉଛି ଭ୍ରୁ ଦ୍ୱୟ ମଧ୍ୟରେ ଥିବା ସ୍ଥାନରେ ସଚେତନ ଧ୍ୟାନ ଆଣିବା ଏବଂ ଏହି
ସକ୍ରିୟତା ଆମକୁ କୌଣସି ଇନ୍ଦ୍ରିୟ ସାହାଯ୍ୟ ବିନା ଆନ୍ତରିକ ଆନନ୍ଦରେ ପରିପୂର୍ଣ୍ଣ କରିବ ।

Comments
Post a Comment