146. ଫୋଟନ୍‌ ଉପରେ ଯାତ୍ରା

 

ଏମିତି କୁହାଯାଏ ପ୍ରତିଦିନ ସକାଳେ ଆମେ ପୁନର୍ବାର ଜନ୍ମ ହୋଇଥାଉ ଯାହାକି ‘ସମୟ’ର ଦୃଷ୍ଟିକୋଣରୁ ଏକ ପୁନର୍ଜନ୍ମ ଅଟେ । ଏହି ସମ୍ବନ୍ଧରେ, ଶ୍ରୀକୃଷ୍ଣ କହୁଛନ୍ତି ବ୍ରହ୍ମାଙ୍କ(ନିର୍ମାତା)ର ମଧ୍ୟ ଏକ ଦିନ ଏକ ରାତି ଅଛି କିନ୍ତୁ ତାହା ଏକ ଭିନ୍ନ ସମୟ ମାପରେ (8.17) “ସକଳ ଚରାଚର ଜୀବଗଣ ବ୍ରହ୍ମାଙ୍କ ଦିବସ ଆରମ୍ଭରେ ଅବ୍ୟକ୍ତରୁ ଅର୍ଥାତ୍‌ ବ୍ରହ୍ମାଙ୍କ ସୂକ୍ଷ୍ମଶରୀରରୁ ଉତ୍ପନ୍ନ ହୁଅନ୍ତି ଏବଂ ବ୍ରହ୍ମାଙ୍କ ରାତ୍ରି ଆରମ୍ଭରେ ବ୍ରହ୍ମାଙ୍କର ଅବ୍ୟକ୍ତ ନାମକ ସେହି ସୂକ୍ଷ୍ମଶରୀରରେ ହିଁ ଲୀନ ହୋଇଯାଆନ୍ତି” (8.18) ଏହା ନିରପବାଦ ରୂପରେ ଏକ ଚକ୍ରୀୟ ପ୍ରକ୍ରିୟା ଅଟେ (8.19) ସମୟର ପ୍ରଭାବରେ ସବୁକିଛି ଚକ୍ରୀୟ ଅଟେ ।

            ଶ୍ରୀକୃଷ୍ଣ କୁହନ୍ତି ଯେ, “ଉକ୍ତ ଅବ୍ୟକ୍ତଠାରୁ ମଧ୍ୟ ଯେଉଁ ଅତିଶ୍ରେଷ୍ଠ ଅର୍ଥାତ୍‌ ଯେଉଁ ବିଲକ୍ଷଣ ସନାତନ ଅବ୍ୟକ୍ତ ଭାବ ଅଛନ୍ତି, ସେହି ପରମ ଦିବ୍ୟପୁରୁଷ, ସକଳ ଚରାଚର ପ୍ରାଣୀ ନଷ୍ଟ ହୋଇଗଲେ ମଧ୍ୟ ନଷ୍ଟ ହୁଅନ୍ତି ନାହିଁ” (8.20) ଏହି ଶ୍ଳୋକକୁ ବୁଝିବା ପାଇଁ ଗୋଟିଏ ମଞ୍ଜି ସବୁଠାରୁ ଶ୍ରେଷ୍ଠ ଉଦାହରଣ ଅଟେ । ମଞ୍ଜି ଭିତରେ ଏକ ଅବ୍ୟକ୍ତ ବୃକ୍ଷ ଲୁଚିଥାଏ ଏବଂ ମଞ୍ଜି-ବୃକ୍ଷ-ମଞ୍ଜିର ଏକ ଚକ୍ର ଚାଲୁଥାଏ । କିନ୍ତୁ ଏହି ଉଭୟଙ୍କ ବାହାରେ ମଧ୍ୟ ଏକ ରଚନାତ୍ମକ ଶକ୍ତି ଅଛି ଯାହା ଏହି ଚକ୍ରକୁ ସମ୍ଭବ ବନାଇଥାଏ ଏବଂ ଶ୍ରୀକୃଷ୍ଣ ଏହି ରଚନାତ୍ମକ ଶକ୍ତି ଆଡ଼କୁ ସୂଚାଉଛନ୍ତି ଯାହା ସମୟର ଉର୍ଦ୍ଧ୍ୱରେ

            ସମୟର ଉର୍ଦ୍ଧ୍ୱରେ କୌଣସି ଜିନିଷକୁ ବୁଝିବା ମସ୍ତିଷ୍କ ପାଇଁ ଏକ କଷ୍ଟକର କାର୍ଯ୍ୟ ଅଟେ । ବୈଜ୍ଞାନିକ ରୂପରେ, ସାପେକ୍ଷତାର ନିୟମ (Theory of Relativity) ଏହି ଜଟିଳ ବିଷୟକୁ ବୁଝିବା ପାଇଁ ଆମକୁ ସାହାଯ୍ୟ କରିବାରେ ଅତି ନିକଟତର । ଏହା ନିଜଠାରେ ସିଦ୍ଧ ମାନିଥାଏ ଯେ ଯଦି ଆମେ ପ୍ରକାଶଗତିରେ ଯାତ୍ରା କରୁଥିବା ଫୋଟନ ଉପରେ ଆଶ୍ରୟ ନେବା, ତା’ହେଲେ ସମୟ ବନ୍ଦ ହୋଇଯାଏ । ଏକ ଫୋଟନ ଯିଏ କି ନିଜର ଯାତ୍ରା ପ୍ରାରମ୍ଭ କଲା, (ପୃଥିବୀରେ ଆମର ଘଣ୍ଟା ଅନୁଯାୟୀ ପ୍ରାୟ ଏକ ଲକ୍ଷ ବର୍ଷ ପୂର୍ବେ) ତା’ ପାଇଁ ସମୟ ବନ୍ଦ ହୋଇଯାଇଛି ଏବଂ ଫୋଟନ ପାଇଁ ସମୟର କୌଣସି ସ୍ଥାନ ନଥାଏ ।

            ଶ୍ରୀକୃଷ୍ଣ କହୁଛନ୍ତି ଯେ, “ଯେଉଁ ପରମାତ୍ମାଙ୍କ ଅନ୍ତର୍ଗତ ହୋଇ ସକଳ ଜୀବ ଅଛନ୍ତି ଏବଂ ଯେଉଁ ପରମାତ୍ମାଙ୍କ ଦ୍ୱାରା ଏହି ସମଗ୍ର ଜଗତ ପରିପୂର୍ଣ୍ଣ, ସେହି ସନାତନ ଅବ୍ୟକ୍ତ ପରମ ପୁରୁଷ ଅନନ୍ୟ ଭକ୍ତିଦ୍ୱାରା ହିଁ ପ୍ରାପ୍ତ ହୋଇପାରନ୍ତି” (8.22) ଏବଂ ଏହା ଅନ୍ତିମ ଲକ୍ଷ୍ୟ ଅଟେ ଯାହାକି ମୋର ସର୍ବୋଚ୍ଚ ନିବାସ ଅଟେ, ଯେଉଁଠାରେ ପହଞ୍ଚିବା ପରେ କେହି ଫେରନ୍ତି ନାହିଁ (8.21) ଫେରି ନ ଆସିବା ମାନେ ମୋକ୍ଷପ୍ରାପ୍ତି ସୂଚିତ କରେ ଯେ ବ୍ୟକ୍ତି ସମୟର ଚକ୍ରରୁ (ଜନ୍ମ - ପୁର୍ନଜନ୍ମ) ବାହାରେ । ଏହା ସର୍ବୋଚ୍ଚ ପ୍ରତି ସମର୍ପଣର ମାଧ୍ୟମରେ ପ୍ରାପ୍ତ ହୋଇଥାଏ ଯାହାକି ସମସ୍ତଙ୍କ ପାଇଁ ବିନା ସର୍ତ୍ତମୂଳକ ପ୍ରେମ ଅଟେ ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌